ଜୀବନ କେତେ ସହଜ ?
![]() |
Credit: Abstract Scriber |
ଆତ୍ମା ପ୍ରେତାତ୍ମା ମଣିଷ ପଶୁ ପକ୍ଷୀ ବୃକ୍ଷ ବନାନୀ ସବୁ ବିଶ୍ରାମ ନିଅନ୍ତି ଆଉ ସ୍ଵପ୍ନ ନଗରୀ ରେ ସକାଳ ହୁଏ । ଜହ୍ନ ଆଲୁଅ ର ଛାଇ ଅନ୍ଧାର ଖେଳ ଭିତରେ କଅଁଳ ଖରା ର ଝାସ ବାଜେ ସ୍ଵପ୍ନ ରେ । ଆଖି ନଥିବା ଆଖି ବି ଆଖିଏ ସ୍ଵପ୍ନ ଧରି ସେଇ ଜହ୍ନ ରାତି କୁ ଅନେଇବସିଥାଏ , କେତେ ବେଳେ ଜହ୍ନ ଆସିବ ଆଉ ତା ଶୀତଳ ଛାୟା ରେ କୁଣ୍ଢେଇ ଧରିବ । ଦିନ ସାରା ର ଖଟଣି ରେ କ୍ଳାନ୍ତ ଶରୀର ଟିକେ ବିଶ୍ରାମ କୁ ଅଣ୍ଡାଳୁ ଥାଏ ଆଉ ଜହ୍ନ ଆସି ତାକୁ ଧୋ ରେ ବାୟା ଧୋ କହି ଶୁଆଇଦିଏ ।
ଭାସି ବୁଲନ୍ତି ହଜାର ହଜାର ଅଣ ବାହୁଡା ସ୍ଵପ୍ନ ସବୁ , ସ୍ଵପ୍ନ ର ସୌଦାଗର ସାଜି କେତେ ପ୍ରକାର ସ୍ଵପ୍ନ ର ସୌଦା ହୁଏ ସ୍ଵପ୍ନର ନଗରୀରେ । ପ୍ରେମିକ ଟିଏ ତା ପ୍ରେମିକା କଥା ଭାବୁଥାଏ , ଲେଖକ ଟିଏ ନିଜ ଅଧ ଲେଖା ଗପ ର ବାକି ଥିବା ଆଉ ଗୋଟେ ପାରାଗ୍ରାଫ କଥା , ଆଖି କୁ ଦିଶୁନଥିବା ଜେଜେ ତାଙ୍କ ଆର ପରି ରେ ଥିବା ଜେଜେ ମା ଙ୍କ କଥା , ଉଛୁଳା ଯୌବନ କୁ କାନ୍ଧେଇ ଧରି ଯୁବତୀ ଟିଏ ତାର ସ୍ଵପ୍ନ ର ରାଜକୁମାର କଥା , ଜମିଦାର ତା ଅଧା ତିଆରି ନୂଆମହଲ କଥା , ଚାକିରିଆ ଟିଏ ତାର ନିଜ ଅଫିସ ରେ ଗୋଡ ଲମ୍ବେଇ ବସିବା କଥା , ବେକ ରେ ସରୁ ଚେନ ପିନ୍ଧା ବାବୁଆଣୀ ମୋଟା ସୁନା ହାର କଥା , ରାତି ଅନିଦ୍ରା ହେଇ ପୁଅ କୁ ଜଗି ରହିଥିବା ମା ଟି ପୁଅ ର ଡାକ୍ତର ହବାର ସ୍ଵପ୍ନ ଦେଖୁଥାଏ ,ନୂଆ ବାହାହେଇ ଆସିଥିବା ବୋହୁ ତାର ଘର କୁ ଫେରି ନଥିବା ସ୍ଵାମୀ କୁ ଅପେକ୍ଷା କରିଥାଏ , ଆଖି ପତା ଲାଗି ଆସୁ ଆସୁ କିଣା ବିକା ର ଆରମ୍ଭ ହୁଏ ।
ଭୋକିଲା ପେଟରେ ଗୁଡେଇ ତୁଡେଇ ହେଇ ରହିଥିବା ଜୀବନଟି ସମୟର ଚକ୍ରବ୍ୟୁହ ରେ କେବେ ବଳି ପଡିଯିବ କେହି ଜାଣନ୍ତି ନାହିଁ ହେଲେ ନିଜ ମୁଣ୍ଡ ବାହାରେ ଖଣ୍ଡେ ଖଣ୍ଡେ ଜାଗା କିଣିବାର ସ୍ଵପ୍ନ ସମସ୍ତେ ଦେଖନ୍ତି ; ସ୍ଵପ୍ନ ସବୁ ଟାଣ ଖରା ତାତି ସମ୍ଭାଳି ନପାରି ଚାଲିଯାନ୍ତି ତାଙ୍କ ଦୁନିଆ କୁ ଆଉ କିଛି ସ୍ଵପ୍ନ କୁ ଜବରଦସ୍ତି କିଣିବା ଜିଦରେ ବିବେକକୁ ଆଖିଠାର ଦେଇ ପାପ ପୂଣ୍ୟର ବି ବିଚାର ନ କରି କିଣିପକାନ୍ତି ଅବାସ୍ତବ ଶ୍ଵାସରୁଦ୍ଧ ସ୍ଵପ୍ନକୁ । ପିଣ୍ଡ ରେ ପ୍ରାଣ ଟିକକ ରହିଲେ ପୁଣି ଭେଟ ହବ ବୋଲି ଆଶା ନେଇ ବଞ୍ଚିଛୁ । କାଙ୍ଗାଳ ମଣିଷ ଲାଳସା କୁ ସମ୍ଭାଳି ପାରୁନି ଆଉ ଦାଉ ସାଧୁଛି ନିଜ ସ୍ଵପ୍ନ ଉପରେ , ଆଜି ଆଖି ପତା ଲେଉଟିଲେ କାଲି ପୁଣି ବଞ୍ଚିବାକୁ ସଂଘର୍ଷ କରିବ ବୋଲି ଜାଣି ବି ସ୍ଵପ୍ନ ସବୁ କୁ ଜାବୁଡି ଧରୁଛି । ଆଖି ଥାଉ ଅବା ନଥାଉ , ସ୍ଵପ୍ନ ପୁରା ହଉ ବା ନା ହଉ , କିନ୍ତୁ ଏତେ ମହଙ୍ଗା ସ୍ଵପ୍ନ କୁ କିଣି ହାତ ରେ ଜାବୁଡି ରଖିବାକୁ ହାତ ନାହିଁ ବୋଲି ଜାଣି ବି ରାତି ରାତି ଅନେଇ ରହୁଛି ଆଉ ମୁଁ ସଂସାର ର ସବୁଠୁ ବଡ ଦୁଖୀ ବୋଲି ବାଉଳେଇହଉଛି।
ଜୀବନ ର ବାସ୍ତବତା କଣ ଅନୁମତି ଦିଏ ସ୍ଵପ୍ନ ଦେଖିବାକୁ ?
ଦି ଓଳି ଖଟି , ଓଳିଏ ମୁଠାଏ ଖାଇ ମଲା ଭଳି ପଡିରହିଥିବା ବାରବୁଲା ମୁଲିଆ ଅନ୍ଧାର ରାତି ରେ ଆଖି ବନ୍ଦ କରି ଶାନ୍ତି ରେ ଘୁଙ୍ଗୁଡି ମାରୁଥାଏ , ନା ଅଣନିଶ୍ଵାସୀ ହେଇ ନିଶବ୍ଦ ଚିତ୍କାର କରୁଥାଏ ?
ବିରିଆନୀ ହାତ କୁ ବଢେଇ ଦେଉଥିବା ୱେଟର କେମିତି ମନ ବୁଝେଇ ତା ଭୋକ ସମ୍ଭାଳି ଦିଏ ?
ଗରିବ ଝିଅ ର ଯୌବନ ଆସେନି ନା ବେରୋଜଗାର ଜଣେ ପ୍ରେମିକ ନୁହେଁ ?
ଟ୍ରାଫିକ ରେ ଖାଲି ପାଦ ରେ ବୁଲୁଥିବା ପାଦ ଶହ ଶହ ଜୋତା କୁ ଭେଟେ ହେଲେ ହଳେ ଜୋତା କୁ ହାତ ବଢେଇ ରଖିପାରେନି , ଖୋଲାପାଦ ବାମନ ନା ହଳେ ଜୋତା ଚାନ୍ଦ ?
ରୋଗିଣା ମା ବୃଦ୍ଧାଶ୍ରମ ରେ ଅଚିହ୍ନା ହାତ ରୁ ଔଷଧ ନେଉ ନେଉ ତାର ଅଧା ବୁଜା ଆଖି କଣ ତା ଡାକ୍ତରୀ ପୁଅ କୁ ଖୋଜୁନଥିବ ?
ଘର ଦ୍ଵାର , ସୁନା ହାର , ପରେ କଣ ବାଞ୍ଝ ବୋଲି ପଦେ କଥା କାନ କୁ ଶୁଭୁନଥିବ ?
ନାଲି ଶାଢୀ ରେ କୋକେଇ ରେ ଶୋଇବାର ସ୍ଵପ୍ନ କଣ ଧଳା ଶାଢୀ ଗୁଡେଇହଉନି , ନା ଗଳ୍ପ ଟିରେ ନାୟିକା ର ମୃତ୍ୟୁ ହୁଏନି ?
ଏମାନେ କଣ ଜୀବନ୍ତ ନୁହନ୍ତି ?
ସେମାନେ କଣ ସତରେ ଅବାସ୍ତବ ସ୍ଵପ୍ନ ଦେଖିବା ଶିଖିନାହାନ୍ତି ?
ସ୍ଵପ୍ନ ନଗରୀ ରେ ର ଖୋଲା ଆକାଶ ତଳେ ଉଡି ବୁଲିବାର ସ୍ଵାଧୀନତା କଣ ତାଙ୍କର ନାହିଁ ?
ଉତ୍ତର ପାଇଲି , ସେମାନେ ବି ରାତିରେ ସ୍ଵପ୍ନ ସାଉଣ୍ଟନ୍ତି କିନ୍ତୁ ଧରିରଖି ପାରନ୍ତିନି । ସେମାନଙ୍କ ପେଟରେ ମରୁଡି ପଡେ , ସେମାନେ ଦାନବ ସାଜି ଭୋକ ସହ ଲଢେଇ କରନ୍ତି, ଖୋଲା ଆଖି ରେ ହଉ ଅବା ବନ୍ଦ ଆଖି ରେ ସେମାନେ ବି ସ୍ଵପ୍ନ ଦେଖନ୍ତି । ହେଲେ ଭାଗ୍ୟ ର ବିଡମ୍ବନା ଯେତେ ବିକଳ ହେଇ କାକୁତି ମିନତି ହେଲେ ସୁଦ୍ଧା , ସ୍ଵପ୍ନ ବି ଭେକ ଦେଖି ସତ ହୁଏ ବୋଲି ସେମାନେ ବି ବୁଝିଯାଇଛନ୍ତି । ଯଉ ଆଖି ସ୍ଵପ୍ନ ଦେଖେ ସେଇ ଆଖି ରୁ ବି ଲୁହ ଝରେ ଆଉ ଲୁହ ଭିଜା ଆଖି ଠୁ ସ୍ଵପ୍ନ ଦେଖିବାର ଅଧିକାର କେହି ଛଡେଇନାହାନ୍ତି । ଜୀବନ ଘଡି ରେ ସବୁ ଲୁହ , ଲହୁ ର ହିସାବ ହୁଏ ,କିଛି ଲୁଚିରହେ ନାହିଁ ବୋଲି ସେମାନେ ସହଜ ରେ ଗ୍ରହଣ କରି ନେଇଛନ୍ତି , ନିଜକୁ ବାମନ ଭାବି ଚାନ୍ଦ କୁ ଆଖିଠାର କରିବା ମୁର୍ଖାମୀ ବୋଲି ସେମାନେ ବୋଧେ ଜାଣିଛନ୍ତି , ସେଥି ପାଇଁ ସକାଳୁ ଉଠି ମୂଲ କୁ ଯିବେ, କଲି ପୁଣି ଉପାସ ର ମୁହଁ କୁ ଭେଟିବେ ,ଶୁଖିଲା ପାଦ ଡେଇଁ ଡେଇଁ ପୁଣି ରାଜ ରାସ୍ତା ରେ ଚାଲିବ , ଦି ହାତ ପୁଣି ଆଉ ଜଣ ଙ୍କ ହାତ ଟେକା କୁ ଅନେଇବସିବ , ଆଉ ଦିନେ ଏଇ ସମୟ ବଦଳିବ । ଜୀବନ ର ଅଙ୍କା ବଙ୍କା ମୋଡ ସେମାନଙ୍କୁ ଢେର ଆଗକୁ ଦୌଡେଇ ନେଇଛି । ଆଉ ସେମାନେ ଥକି ପଡିନାହାନ୍ତି , ବରଂ ଜୀବନ କୁ ସହଜ ବୋଲି ଭାବିନେଇ ବଞ୍ଚିଛନ୍ତି , ଆଉ ନିଜ ପ୍ରାଣ ପିଣ୍ଡ ପାଇଁ ସଂଘର୍ଷ କରିଚାଲିଛନ୍ତି ।
ଜୀବନ କୁ ସହଜ ବୋଲି ଭାବିନେଇ ବଞ୍ଚିଗଲେ , ବଞ୍ଚିବା ସହଜ ହେଇଯାଏ । ମରଣ କୁ ଯେତେ ଆଦରେଇ ଆସିଲେ ବି ସେ ଆସେନି।
words speaks..
ReplyDeleteexcellent in short of words to appreciate
ReplyDeletemarvellous
ReplyDelete