ଉତ୍ତର ର ଠିକଣା ?

Credit: Google


କିଛି ଅସମାହିତ ପ୍ରଶ୍ନ ଆଉ ନିଦ ର ସମ୍ପର୍କ ବହୁତ ନିବିଡ଼ ; ପ୍ରଶ୍ନ ର ମନ କୁ ଖଞ୍ଜି ଉତ୍ତର ନ ଦେଲେ ରାତିରେ ନିଦ କୁ ବନ୍ଧା ପକେଇ ରଖେ। କେଜାଣି କୁଆଡୁ ପ୍ରଶ୍ନ ଠଉରାଏ ଯେ କୋଉ ପ୍ରଶ୍ନ କେତେ ବେଳେ ପଚାରିଲେ ଉତ୍ତର ବଦଳ ରେ ଗୁଡ଼ାଏ ରାତି ସେ ବନ୍ଧା ପକେଇ ପାରିବ। ଏଇ ପ୍ରଶ୍ନ ର ମେଲଣ ଭାରି ହିସାବି ସତରେ !
ବେଳେବେଳେ ଉତ୍ତର ଆଳ ରେ ପ୍ରଶ୍ନ ବି ବାଉଳା ହୁଏ, ପଚାରି ଦିଏ ଏମିତି କିଛି ପ୍ରଶ୍ନ ଯାହାର ଉତ୍ତର ହୃଦୟ କୁ ଜଣା ଥାଏ କିନ୍ତୁ ଏଇ ମେସିନ୍ ଖଞ୍ଜା ଖପୁରୀ ବିଲକୁଲ୍ କହିବାକୁ ଅନୁମତି ଦିଏନି । ଏଇ ଯେମିତି ପାପ ପୁଣ୍ୟ, ପ୍ରେମ ବିଚ୍ଛେଦ, ଜୀବନ ମୃତ୍ୟୁ, ଓ କାହାଣୀ ଶେଷ ରେ ନାୟକ ଯେ ବିଜୟୀ ହେବ ଏହା ଚିର ସତ୍ୟ ର ସତ୍ୟତା। ପାପ ପୁଣ୍ୟ ଭିତରେ ନାୟକ ଯେ ପୁଣ୍ୟ , ପ୍ରେମ ବିଚ୍ଛେଦ ରେ ବିଚ୍ଛେଦ ଖଳନାୟକ କିନ୍ତୁ ଜୀବନ ମୃତ୍ୟୁ ମଧ୍ୟରେ ନାୟକ କିଏ ଖଳନାୟକ କିଏ ? 
ମନ ଲାଖି ଉତ୍ତର ପାଇଁ ପ୍ରଶ୍ନ ଭାରି ବ୍ୟାକୁଳ ସତରେ !

ଓଃ ଶିରା ପ୍ରଶିରା ରେ ପ୍ରଶ୍ନ ଗୁଡା ବିଞ୍ଚି ହୋଇ ପଡିଲେ , ଘଡି ର ଟିକ୍ ଟିକ୍ କୁ ପଛରେ ପକେଇ ଧମନୀ ରେ  ରକ୍ତ ପ୍ରବାହ ତୀବ୍ର ହେବାକୁ ଲାଗିଲା । କ୍ଳାନ୍ତ ଆଖି ମାନେ ନିଦ ପାଇଁ ବାଉଳେଇ ହେଉଛନ୍ତି, ନିଦ କୁ ଲୁଚେଇଛନ୍ତି ଅନାବନା ପ୍ରଶ୍ନ ମାନେ। କୋଉଠି ବାଟବଣା ହେଇଛି କେଜାଣି ଏ ଉତ୍ତର। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ବିକଟାଳ ମହାକାଶ ରେ ମଳିନ ଏକ ଆଶା ର ଆଲୋକ ଭଳି ଶରୀର ର ପ୍ରତି କୋଣ ଅନୁକୋଣରେ ଉତ୍ତର ମାନେ ବାଟ ବଣା ଯାଯାବର ପରି ବୁଲୁଛନ୍ତି । ବୋଧେ ରାସ୍ତା ଖୋଜି ଚାଲି ଆସିବାକୁ ପ୍ରୟାସ କରୁଛନ୍ତି ହେଲେ କିଛି ଗୋଟେ ରାସ୍ତାରୋଧ କରିଛି ; ପ୍ରଶ୍ନ ଯାଏ ପହଞ୍ଚି ପାରୁନାହାନ୍ତି। 
ଜୀବନ ଖଳନାୟକ , ଆଉ ମୃତ୍ୟୁ ସର୍ବଜୟୀ ଶକ୍ତିମାନ ନାୟକ ! 
ଭାରି ଅଖାଡୁଆ ଶୁଭିଲା କିନ୍ତୁ କଥା ଟା ସତ। ହେଲେ ପ୍ରଶ୍ନ ର ମନ ମାନୁନି, ଜମା ସନ୍ତୁଷ୍ଟି ନୁହେଁ । କେହି ବିଶ୍ବାସ କରିବେନି ବୋଲି ବୋଧେ ଖପୁରୀ ବାରଣ କରିଥିଲା କହିବାକୁ କିନ୍ତୁ ବେଡା ହୃଦୟ ଟା ବଲବଲ୍ ହେଇ କହିଲା ହେଲେ ଶୁଣିଲା କିଏ । 

ସପ୍ତ ଋତୁ ର କମନୀୟ ଅନୁଭୂତି ପରେ ରୂଢ଼ ବାସ୍ତବତା ର ଆଘାତ ଅନୁଭବ ହୁଏ ଆଉ ବାରମ୍ବାର ଶକ୍ତ ଆଘାତ ରେ ଶିଥିଳ ପାଲଟି ଯାଏ ଅନୁଭୂତି। କାଳର ସ୍ରୋତ ରେ ଘାତ ପ୍ରତିଘାତ କୁ ମୁଣ୍ଡ ପାତି ସହେ କିନ୍ତୁ ମହାକାଳ ର ଇଙ୍ଗିତ ବୁଝିଛି କିଏ ନା ବୁଝିବ କିଏ ? ମହାଶୂନ୍ୟ ର ପ୍ରାନ୍ତ କୁ ଛିନ୍ନ କରି, ଗ୍ରହରାଜି ର ପରିଧି ବେଷ୍ଟନ କରି, ନକ୍ଷତ୍ର ମଣ୍ଡଳୀ ର ବ୍ୟୁହ ଭେଦ କରି, ଲକ୍ଷ୍ୟ ହୀନ ଅଶାନ୍ତ ବେଗ ରେ ଉଦ୍ ଭ୍ରାନ୍ତ ପ୍ରାଣବାୟୁ କୁଣ୍ଠା ଆବରଣ ରେ ମୁହଁ ଲୁଚେଇ ପ୍ରତିରାତି ରେ ଫେରେ । ଇନ୍ଦ୍ରଧନୁ ର ବର୍ଣ୍ଣ ସମ୍ଭାର ରେ ରଞ୍ଜିତ କରେ ରାତ୍ରି ମାନଙ୍କୁ , ଅଭିନବ ସମ୍ଭାବନା ର ବର୍ଣ୍ଣ ବିଳାସ ରେ ସୁପ୍ତ ପ୍ରାଣ ରେ ଜୀବନ ସଞ୍ଚାର ହୁଏ । କିଛି ମୁହୂର୍ତ୍ତ ସୁଖ ର ଉତ୍କଣ୍ଠା , ଶାନ୍ତି ର ଉନ୍ମତ୍ତ ଉତ୍ତେଜନା ରେ ଅତିବାହିତ ହୋଇଯାଏ । ଅତ୍ୟୁକ୍ତି ଜୀବନ ଆଉ ମୃତ୍ୟୁ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୁଏ ; ବିଜୟୀ କିଏ ?
ଠିକ୍ ଯେମିତି ହିଂସ୍ର ଜନ୍ତୁ ପାଖରୁ ବଞ୍ଚି ଆସିଥିବା ଶାନ୍ତ ଜୀବ ଟିଏ , କେତେ ମୁହୂର୍ତ୍ତ ବଞ୍ଚିବ ତାକୁ ଅଜଣା କିନ୍ତୁ ପୂର୍ଣ୍ଣ ପ୍ରଚେଷ୍ଟା ପରେ ପରାଜିତ ହୋଇ ମୃତ୍ୟୁ କୁ ବରଣ କରିବାରେ ଆତ୍ମ ତୃପ୍ତି ଥାଏ ର ଧାରଣା ସତ୍ୟ।  ମରଣାନ୍ତକ ଆକ୍ରମଣ ଆଉ ଅକ୍ଲାନ୍ତ ପରିଶ୍ରମ ପରେ ପରାଜୟ ର ଗ୍ଲାନି ରେ ମର୍ମାହତ ହିଂସ୍ର ଜନ୍ତୁ ପ୍ରତି କାହାର ଟିକେ ହେଲେ ଦୁଃଖ କିମ୍ବା ଦରଦ ନାହିଁ। କାହିଁକି ହୁଏ ଏମିତି , ସୃଷ୍ଟି ଏବଂ ପ୍ରକୃତି ଦରଦ ଦେଖେଇ ହୁଏ ସେ ଜୀବ କୁ, କିନ୍ତୁ ଜନ୍ତୁ ଟି କି ପାପ କରିଥିଲା ତାହା ସମସ୍ତଙ୍କୁ ଅଜଣା । 
କିଏ ବିଜୟୀ କିଏ ପରଜୟୀ ? ଜୀବନ ନା ମୃତ୍ୟୁ ?
ଜୀବନ ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକ ପ୍ରାଣୀ ପାଇଁ ଏଇ ପ୍ରକୃତି ଦୁଃଖୀ, କିନ୍ତୁ ଖାଦ୍ୟ ର ଅନ୍ୱେଷଣରେ ଗୃହତ୍ୟାଗୀ ଭକ୍ଷକ ସାଜେ ରାକ୍ଷସ । ନିୟତି ର ନିଷ୍ଠୁର ନିୟମ ହିଁ ସ୍ଵୟଂ ବିଜୟପଥ ଏହା ଯୁଗେ ଯୁଗେ ସତ୍ୟ । କ୍ଷୁଧା ର ତାଡନା ରେ ତାଡ଼ିତ, ଉପବାସ ର ଯାତନା ରେ ରୁଧିରାକ୍ତ , ଜୀବନର ନିରନ୍ତର ସଂଗ୍ରାମ ରେ କ୍ଷତ ବିକ୍ଷତ ହୋଇ ଆତ୍ମ ନିଗ୍ରହ , ଆତ୍ମ ଲାଞ୍ଛନା ର ଅପ୍ରୀତିକର ଅବାଞ୍ଛିତ ସ୍ପନ୍ଦନ ର ଅନୁଭବୀ ହିଁ ବିଜୟୀ ଏହା ଜ୍ୟୋତିହୀନ ଅଖଣ୍ଡତା । 
ସୃଷ୍ଟି ର ନିୟମ ବନ୍ଧା ପ୍ରକୃତି ର ନିର୍ବିଧ ମାୟା ଜାଲ ରେ ମାୟା ମରୀଚିକା ସାଜେ ; ପୂର୍ଣ୍ଣିମା ରେ ବିବର୍ଣ୍ଣ , ଅମାବାସ୍ୟା ରେ ବର୍ଣ୍ଣ ହୁଏ,  ବିଜୟୀ ପରାଜୟ ବରଣ କରେ , ପରାଜୟୀ ବିଜୟୀ ହୁଏ , ଖଳନାୟକ ନାୟକ ପରି ଶୋଭା ପାଏ , ନାୟକ ତୀବ୍ର ହଳା ହଳ ରେ ମୃତବତ୍ ! 
ଏକଥା ଧ୍ରୁବ ସତ୍ୟ। 

ତିରସ୍କୃତ ସତ୍ୟାଗ୍ରହୀ ବ୍ୟକ୍ତି ମାନେ ଖଳନାୟକ ର ପରିଚୟ ରେ ମଳିନ। ସମସ୍ତେ ସ୍ବାର୍ଥ ସିଦ୍ଧି ଆଶେ ନିୟମ କୁ ଅବଜ୍ଞା କରନ୍ତି, କିନ୍ତୁ ଏହି ପରମ୍ପରାକୁ ଗୋପନ ରଖିବା କଳାରେ ଉଚ୍ଚନୀଚ ହେଇଗଲେ ପ୍ରକୃତି ସ୍ଥିର କରେ କିଏ ନାୟକ ଓ ଖଳନାୟକ । ସମୟ ଚକ୍ର ରେ ପେଶି ହୁଏ ବିଜୟୀ ପରାଜୟୀ ନାୟକ ଖଳନାୟକ , ପରିଚୟ ବଦଳେ । ଗତକାଲି ଆଜି ର ରାସ୍ତା ରେ ଆପ୍ରାଣ ଉଦ୍ୟମରେ ଆସନ୍ତା କାଲି ରେ ପହଞ୍ଚି ଯାଏ । କିନ୍ତୁ କାଲି କିଏ ଦେଖିଛି, କାହା ପାଖରେ କେତେ ସମୟ ଅଛି କିଏ ଜାଣିଛି, କିଏ କଣ କରିପାରିବ କିଏ ଅନୁମାନ କରିପାରିବ , କାହାର ପରିଚୟ କାହାକୁ ଜଣା ?
ମାତ୍ର ଜୀବନ ପାଦପ ର କୁସୁମ ମାନେ ଦିନେ ନା ଦିନେ ବୃନ୍ତ ଚ୍ୟୁତ ହେବେ ଏହା ପ୍ରକୃତି ର ଆଦେଶ ଏବଂ ସୃଷ୍ଟି ର ସନ୍ଦେଶ।

•• 
ଉତ୍ତର ର ଠିକଣା ?
ଲୋଟଣି ପାରା ପରି ଉଡ଼ି ବୁଲୁଛି । ଜ୍ୟୋସ୍ନା ର ମ୍ଲାନ ଛାଇ ରେ ପଲ୍ଲବ ହୀନ ତରୁ ଶାଖା ରେ ବିଳାପ କରୁଛି । ଡେଣା ରେ ଅସମ୍ଭବ କ୍ଳାନ୍ତି । ପ୍ରାଣ ର ବିଷାଦ ରେ ପଙ୍ଗୁ । 

Comments

Post a Comment