ପ୍ରକୃତି ର ପ୍ରେମ ମିଳନ

Credit: Abstract Scriber

ବୈଶାଖ ତାତି ରେ ଦୁର୍ବିସହ ହୋଇପଡ଼ିଛି ପ୍ରକୃତି, ମୂର୍ଚ୍ଛା ଯାଇଛି ସୌନ୍ଦର୍ଯ୍ୟ , ଝାଉଁଳି ଯାଇଛନ୍ତି ସବୁଜ ଯୁଗ ର ବଂଶଧର ମାନେ ।  ବିନିଦ୍ର ବାଲି ନଅର ରେ କଲ୍ଲୋଳ ର ସ୍ୱର ଶୁଭୁଛି । ବିତି ଯାଇଥିବା ଅତୀତ ର ଭୟ ରେ ବର୍ତ୍ତମାନ ରେ ନୀରବତା ଢେଉ ଖେଳୁଛି । ଆଉ ଗର୍ଜନ କରି ନୀରବତା ଭଙ୍ଗ କରୁଛି ଝାଞ୍ଜି ପବନ, ସତେ ଯେମତି ଅସହାୟ ପ୍ରାଣ ଙ୍କୁ ଅଟହାସ୍ୟ କରୁଛି ।

ଧୈର୍ଯ୍ୟ ହରା ଶ୍ରୀ ମଣ୍ଡିତ ପ୍ରକୃତି ଶ୍ୱାନ୍ତ , ଧୁଲି ଧୂସର ପତ୍ର ମାନେ ଉନ୍ମୁକ୍ତ ପ୍ରାୟ , ମହୋଦଧି ର ବିରହ ବ୍ୟଥାରେ ରେ ପୂଣ୍ୟତୋୟା ମହାନଦୀ ଜ୍ୱାଳାମୁଖୀ ସାଜିଛି । ଚାତକ ନୟନ ଯୁଗଳରେ ଶ୍ରାବଣ ଧାରା ର ଅଭିପ୍ସା କଡ ଲେଉଟଉଛି । ଯୋଡ଼ା ଯୋଡ଼ା ଆଖିରେ ନିର୍ଧୁମ୍ ଶ୍ରାବଣ ଧାରା ପାଇଁ ବିକଳ ପ୍ରାର୍ଥନା ବୋଧେ ବାରମ୍ବାର ପରାଜିତ । ହତୋତ୍ସାହୀ ମନମୁଗ୍ଧକର ପ୍ରାକୃତିକ ବସ୍ତୁ ମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି  ।

ଯୌବନ ର ଅତିଥି ଚର୍ଚ୍ଚା ର ପ୍ରଥମ ପ୍ରେମ ର ରଂଗ ବୋଳା ରଙ୍ଗୀନ୍ ଅତିଥି ମାନେ ଖରା ତାତି ରେ ଭିଜୁଛନ୍ତି । ପ୍ରୀତିବୋଳା ମିଳନ ପାଇଁ ବ୍ୟଗ୍ର ନୂଆ ବୋହୂ ମାନେ ପ୍ରାଣପ୍ରିୟ ମାନଙ୍କ ଅପେକ୍ଷାରେ କ୍ରୁର ବିଧାତା ର ବିଚାର କୁ ନିନ୍ଦୁଛନ୍ତି । ଜୀବନର ଅବସର ପ୍ରାନ୍ତର ଅତିଥି ମାନେ ଯବନିକା ପଡ଼ିସାରିଥିବା କିମ୍ବଦନ୍ତୀକୁ ଗପ ପେଡି ରେ ପସରା ମେଲେଇଛନ୍ତି। ଯୁକ୍ତି ତର୍କ ରେ କମ୍ପମାନ ହେଉଛି ସୁନା ଛାଉଣୀ କାନ୍ଥ, ନଡ଼ିଆ ଖଜୁରୀ ପତ୍ର ମାନେ ପବନରେ ଦୋଳି ଖେଳୁଛନ୍ତି , ସ୍ପଷ୍ଟ ଚିତ୍ରିତ ସୂକ୍ଷ୍ମ ପ୍ରକୃତି ଜାଲ ରେ ସୁନ୍ଦର ଫୁଲ ମାନଙ୍କ ର ରଙ୍ଗ
ପ୍ରେମିକା ର ଗଳି ରେ ଲମ୍ବା ଧାଡ଼ି ଶୁଖା ସାଢୀ ସବୁ ଫର୍ ଫର୍ ହୋଇ ଉଡୁଛନ୍ତି ପ୍ରେମିକ ର ମନ ପରି । ସାବିତ୍ରୀ ଭାର ର ଆମ୍ବ ପଣସ ଖଜୁରୀ ର ବାସ୍ନା ରେ ମନ ପୂରି ଯାଉଛି ।

ସତେ ଅନ୍ତରୀକ୍ଷ କାନ ରେ ତ୍ରାହି ଡାକ ବାଜିଲା ପରି ନୀଳ ଆକାଶ ଟା ଟିକେ ମେଘୁଆ ହେଇଗଲା । ପ୍ରକୃତି ପ୍ରେମ ରେ ଉନ୍ମତ୍ତ ପ୍ରାୟ ନଭ ପ୍ରକୃତି ପଲ୍ଲୀ ର ଏମିତି ରୂପ ଦେଖି ଅଧିର ହେଉଥିଲା । ଆଉ ପ୍ରେମ ନିଆଁ ରେ ଘିଅ ଟିକେ ଢାଳିବା ଭଳି, ଅସ୍ତରାଗରେ ନୃତ୍ୟରତ ସୂର୍ଯ୍ୟ ମେଘମାଳା ପଛରେ ଲୁଚିଗଲେ ଆଉ ବିଞ୍ଚିଦେଲେ ଟିକେ ଲାଲ୍ ଟହଟହ ପ୍ରେମ ମୁରୁଜ । ନାରଙ୍ଗୀ ଶ୍ବେତ ଗଗନ ରେ ନୀଳ ମହୋଦଧି ର ଢେ଼ଉ କଳକଲ୍ଲୋଳ ନାଦ ରେ ସଙ୍ଗୀତ ଗାନ କରୁଥାନ୍ତି , ବିହଙ୍ଗ ମାନଙ୍କ କାକଳି ରେ ମୁଖରିତ ହେଉଛି ଆକାଶ । ବିଜୁଳି, ଘଡ଼ ଘଡି ରେ ଚମକି ଉଠୁଛି ଗଗନ ର ବକ୍ଷ ।  ଗଗନ ବିଭୋର ହେଉଛି ସବୁଜା ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ରୂପ ରେ , ଆକାଂକ୍ଷା କରୁଛି ଏକାନ୍ତ ମିଳନ ପାଇଁ ।
ଶେଷହେଲା ଅପେକ୍ଷା ଉପେକ୍ଷାର ବ୍ୟସ୍ତତା, ସ୍ୱାନ୍ତ ଗଗନ ବିହାର ରୁ ଝରିଗଲା ଦୁଇ ବୁନ୍ଦା ମିଳନ ର ଆନନ୍ଦଶ୍ରୁ, ଆଉ ଧ୍ୱାନ୍ତ ପ୍ରକୃତି ନିଜ ବକ୍ଷ ରେ ଜାବୁଡ଼ି ଧରିଲା ବୁନ୍ଦା ବୁନ୍ଦା ଅଶ୍ରୁ ।

ପ୍ରେମୀ ଯୁଗଳ ଙ୍କ ମିଳନ ଲୀଳା ରେ ସମସ୍ତେ ଭିଜିଲେ,  ପ୍ରତିଶୋଧ ର ଅଗ୍ନି ବୁଜିଗଲା । ପ୍ରେମୀମାନେ କଲୋକଳ୍ପିତ କାହାଣୀ ରେ ନିଜକୁ ସଜେଇ ସ୍ବପ୍ନ ର ମେଳା ରେ ସୌଦାଗର ସାଜିଲେ । ସବୁଜିମା ରେ ପୁଣି ଜୀବନ୍ୟାସ ହେଲା ।
ପ୍ରଥମ ସ୍ପର୍ଶ ର ମୋହ ରେ ପ୍ରକୃତିରେ ନଭାଶ୍ଚୁମ୍ଭି ଆନନ୍ଦ ର ଲହରୀ ଖେଳିଗଲା , ନିରବଚ୍ଛିନ୍ନ ଅଶ୍ରୁ ମାନେ ମୁକ୍ତ ଗଗନ ର ବିହଙ୍ଗ ପରି ଉଡ଼ି ବୁଲିଲେ । ଅପସରି ଗଲା ବୈଶାଖ ତାତି ର ଭୟାବହ ରୂପ, ଶ୍ରାବଣ ଧାରା ରେ ସାରା ଧରା ପୃଷ୍ଠରେ ଭରିଗଲା ଏକ ଅପୂର୍ବ ବାସ୍ନା !

Comments

  1. ଅତି ସୁନ୍ଦର ଲେଖନୀ ଟିଏ ।
    God bless you 👍

    ReplyDelete

Post a Comment