Happy 25th anniversary, ବାବା and ମାମା !
![]() |
| Blessed Enough❤️ |
ଆକାଶରୁ ଶ୍ରାବଣର ସେଇ ବାରିଧାରା ଯେତେବେଳେ ଢେଙ୍କାନାଳ ପାହାଡ଼ିଆ ରାସ୍ତାକୁ ଭିଜେଇ ଦିଏ, ଠିକ୍ ସେତିକିବେଳେ ମନର କୋଣରେ ଜମି ରହିଥିବା ସ୍ମୃତିର ପାଉଁଶ ତଳୁ କିଛି ନିଆଁର ଝୁଲ ଦାଉ ଦାଉ ହୋଇ ଜଳିଉଠେ। ଠିକ ସେମିତି, ହେଇ ହେଇ ଦି ଯୁଗ ବିତିଗଲା | ପଚିଶ ବର୍ଷ! ଶୁଣିବାକୁ ଗଲେ ଏଇଟା ଖାଲି ଗୋଟେ ସଂଖ୍ୟା ଭଳି ଲାଗେ, ହେଲେ ଏଇ ପଚିଶଟା ବର୍ଷର ଯାତ୍ରା ଭିତରେ କେତେ ଯେ ଅକୁହା କାହାଣୀ ଲୁଚି ରହିଛି, ତାହା କେବଳ ଏହି ଘରର ଚାରିକାନ୍ଥ ହିଁ ଜାଣନ୍ତି।
ଆଜି ଯେତେବେଳେ ବାବା ଆଉ ମାମାଙ୍କର ଏହି ବିଭାହ ବାର୍ଷିକୀ, ଧନ୍ୟବାଦ ସେ ଜ୍ୟୋତିଷ କୁ ଯିଏ ପ୍ରସ୍ତାବ ନେଇ ଆସିଥିଲା ଆଉ ଧନ୍ୟ ପରିବାର ଲୋକ ସବୁ ଯିଏ ରାଜଯୋଟକ ଖୁସି ରେ ବାହାଘର କରିଦେଲେ | ମୁଁ ଭାବେ ଏଇ ‘ରାଜଯୋଟକ’ ବାହାଘର ସତରେ କ’ଣ? ୟାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମୋ ବାବା ଆଉ ମାମା। ସତରେ, ଯେତିକି ଜଲ୍ଦି ଆମ ଘରେ ଝଗଡ଼ା ଆରମ୍ଭ ହୁଏ, ସେତିକି ଜଲ୍ଦି ସରି ବି ଯାଏ। ଆମ ଘରେ ସବୁଠୁ ଲମ୍ବା ଝଗଡ଼ା ବୋଧେ ଘଣ୍ଟେ ପାଇଁ ଚାଲେ। ହାଲ୍ଲା ହୁଏ, ପୁଣି ସମସ୍ତେ ଥକିଯାଇ ନିଜକୁ ନିଜେ ସ୍ୱାଭାବିକ କରିଦିଅନ୍ତି। ଏଇଟା ହିଁ ତ ରାଜଯୋଟକର ସୁନ୍ଦରତା ବୋଧେ|
ପିଲାଦିନର କଥା ତ ମୋର ଏତେ ମନେ ନାହିଁ, ହେଲେ ଏବେ ବଡ଼ ହେଲା ପରେ ଜାଣିଲି, ମୁଁ ସମସ୍ତଙ୍କ ଭଳି ‘ନନା’ କି ‘ବୋଉ’ ଡାକିପାରୁନଥିଲି। ମୋ ପାଟିରୁ ପ୍ରଥମେ ବାହାରିଥିଲା ସେଇ ‘ବାବା’ ଆଉ ‘ମାମା’। ଆଜି ବୁଝୁଛି, ଏକ ରକ୍ଷଣଶୀଳ ଓଡ଼ିଆ ବ୍ରାହ୍ମଣ ଘରେ ଏଇଟା କୌଣସି Revolution ଠାରୁ କମ୍ ନଥିଲା। ଏଇଟା କେବଳ ସମ୍ବୋଧନ ନଥିଲା, ଏଇଟା ଥିଲା ମୋ ଜୀବନର ସବୁଠୁ ବଡ଼ ସ୍ୱାଧୀନତାର ସନନ୍ଦ। ମୋତେ ଏକ ମୁକ୍ତ ପକ୍ଷୀ ଭଳି ଉଡ଼ିବାକୁ ଆକାଶ ଦିଆଯାଇଛି,ଛୁଆ ବେଳୁ ହିଁ ଆଉ ସେଇ ଆକାଶର ଦୁଇଟି ମଜବୁତ ସ୍ତମ୍ଭ ହେଉଛନ୍ତି ସେମାନେ।
ଆମେ ଯେବେ ବି କୁଆଡ଼େ ନୂଆ ଜାଗାକୁ ବୁଲିବାକୁ ଯାଉ, ସେଠାରେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ମାମାଙ୍କ ହାତରେ ସବୁବେଳେ ଫୋନ୍ଟା ଥାଏ। ରାସ୍ତାର ଛୋଟ ଝରଣାଠାରୁ ଆରମ୍ଭ କରି ଆକାଶର ରଙ୍ଗ ବଦଳିବା ପର୍ଯ୍ୟନ୍ତ ସବୁକିଛିକୁ ରେକର୍ଡ କରି ସାଇତି ରଖିବାର ଏକ ଅଦ୍ଭୁତ ନିଶା ମାମାଙ୍କର। ମାମା ଚାହାନ୍ତି ସେଇ ମୁହୂର୍ତ୍ତଗୁଡ଼ିକ କେବେ ବି ହଜି ନଯାଉ। କିନ୍ତୁ ବାବା? ବାବା ହେଉଛନ୍ତି ପୁରା ଶାନ୍ତ। ତାଙ୍କୁ ଫଟୋ ଉଠାଇବା କି ଭିଡିଓ ବନେଇବା ଜମା ପସନ୍ଦ ନୁହେଁ। ସିଏ କେଉଁଠି ଗୋଟେ କୋଣରେ ଶାନ୍ତିରେ ବସି ସେଇ ଜାଗାର ସୁନ୍ଦରତାକୁ ନିଜ ଆଖିରେ ପିଇଯାଆନ୍ତି। ମାମା ଯେତେବେଳେ ଫଟୋ ପାଇଁ ଜିଦ୍ କରନ୍ତି, ବାବା ଅଳ୍ପ ବିରକ୍ତି ମିଶା ହସଟେ ହସି କୁହନ୍ତି, "ହେଲା ହେଲା, ଉଠାଅ" ଆଉ ବତିଶିଟା ଦାନ୍ତ ଦେଖେଇ ଫଟୋଟାକୁ ପୁରା ଖରାପ କରିଦିଅନ୍ତି। ମାମା ସ୍ମୃତିକୁ ଫୋନେ ରେ ଧରି ରଖନ୍ତି ଆଉ ବାବା ସେଇ ମୁହୂର୍ତ୍ତକୁ ନିଜ ଆତ୍ମାରେ ଅନୁଭବ କରନ୍ତି। ଏଇ ଦୁଇଟି ଯାକର ମିଳନରେ ହିଁ ଆମ ବୁଲାବୁଲି ଶେଷ ହୁଏ। ସେଥି ପାଇଁ କୁହନ୍ତି opposites attract |
ଆମ ଘରର ପ୍ରତିଟି ଉତ୍ସବ ଆରମ୍ଭ ହୁଏ ମାମାଙ୍କର ସେଇ ଶାଢ଼ୀ ପ୍ରତି ଥିବା ଏକ ଅଜବ ମୋହରୁ। ମାମାଙ୍କ ପାଇଁ ସାଢ଼ୀ କି ଗହଣା କେବେ ହେଲେ ଜିଦ୍ ନୁହେଁ, ସେଇଟା ହେଉଛି ବାବାଙ୍କ ସହ ଅଭିମାନ କରିବାର ଏକ ସେତୁ। ଆଲମାରି ଭିତରେ ଯେତେ ଶୀତଳପାଟିର ବାସନା ଥାଉ କି ସମ୍ବଲପୁରୀର କାରୁକାର୍ଯ୍ୟ, ମାମାଙ୍କର ସେଇ ଗୋଟିଏ ଅଭିଯୋଗ "ମୋ ପାଖରେ ପିନ୍ଧିବାକୁ କ’ଣ ଭଲଟେ ଅଛି କି? କିଛି କେବେ କିଣି ଦଉନ।" ବାବା ସେତେବେଳେ ଲ୍ୟାପଟପ୍ରୁ ଆଖି ଉପରକୁ କରି ଏମିତି ଏକ ହସ ହସନ୍ତି, ଯେଉଁଥିରେ ପଚିଶ ବର୍ଷର ସବୁ ହସ ଖୁସି ବୁଝାମଣା ଲୁଚି ରହିଥାଏ। ଦି’ଜଣ ଯାକ ଭଲ ଭାବରେ ଜାଣିଛନ୍ତି ଯେ ନା ବାବା ସାଢ଼ୀ ଆଣିବେ, ନା ମାମାଙ୍କର ସତରେ ଶାଢ଼ୀ ଦରକାର ଅଛି। ଏହାକୁ ହିଁ କୁହନ୍ତି Mutual Understanding |
ବାବା ଙ୍କ ନିଦ ଜଲ୍ଦି ଭାଙ୍ଗିଯାଏ , ସେ ଜଲ୍ଦି ଉଠିକି whatsapp ଖୋଲିକି ବସିଯାଆନ୍ତି , ହେଲେ ମାମା ଙ୍କୁ ଉଠନ୍ତିନି | ମାମା ଟିକେ late ରେ ଉଠିକି ଆସି ବାବା ଙ୍କୁ ପଚାରିବେ ମତେ ଉଠେଇଲେଣି late ହେଇଗଲାଣି , କେତେ କାମ ପଡିଛି | ଆଉ ମୋ ବାବା ହସିଦେଇକି କୁହନ୍ତି , ହଉ ଥାଉ ' ଆମର କଣ train ଅଛି କି, ଅଧା ଘଣ୍ଟେ ପରେ ଖାଇବା ମିଳିଲେ ଚଳିବ | ମୋ ମାମା ଶାଗ ଟିକେ ଲୁଣିଆ କରନ୍ତି ସବୁ ବେଳେ, ଅଲଗା ରୋଷେଇ ରେ ବହୁତ ଭଲ ହେଲେ , ଡାଲି , ଶାଗ ଆଉ ମାଛ ସବୁ ବେଳେ ଟିକେ ଲୁଣିଆ , ଆମେ ଖାଇଲେ ଆମ ପାଟି ରୁ ବାହାରିଯାଏ କେତେ ଲୁଣିଆ ହେଇଚି , ବାବା କିଛି କୁହନ୍ତିନି | ଖାଇଲା ପରେ , ପଦେ କଥା କହିବେ , ଆମର ଲୁଣ ଗୁଡା ଜଲ୍ଦି ସରିଯାଉଛି ଆଉ | ଖାଇଲା ପରେ, ପାଣି glass ଟା ଜଲ୍ଦି ହାତ କୁ ବଢ଼ା ହେବନି ତାହାଲେ ଆଉ ପାଣି ପିୟା ହୁଏନି ବାବା ଙ୍କର , ସେଠି ପାଇଁ ମାମା କହିବେ 'ପାଣି ପିୟୁକି ଯା' ଆଉ ବାବା ବୁଲି ପଡି ଉତ୍ତର ଦେବେ, "ଏତେ ପାଣି ପିୟଉଛ, ଆଉ କେତେ ପାଣି ପିଏଇବ" | ଏଇ ତାକୁ ଆଜି କା ଯୁଗ ରେ Freedom ବୋଲି କୁହନ୍ତି |
ଆଉ ଗୋଟେ କଥା, ଆଜିକାଲି ତ ଡ୍ରେସ୍ ପିନ୍ଧିବା ସାଧାରଣ କଥା ହେଇଗଲାଣି, କିନ୍ତୁ ବାବା ମାମାଙ୍କୁ ଡ୍ରେସ୍ ପିନ୍ଧିବା ପାଇଁ ସେବେଠୁ ବାଧ୍ୟ କରନ୍ତି ଯେବେ ବାହାଘର ପରେ ଡ୍ରେସ୍ ପିନ୍ଧିବା ଗୋଟେ ବଡ଼ taboo ଥିଲା। କେବେ କେବେ ଏଇ ସବୁ କଥାକୁ ଧରି ବସିଲେ ମୋତେ ଲାଗେ, ସତରେ କ’ଣ ଏମିତି ଗୋଟେ ସମ୍ପର୍କ ବାସ୍ କୁଣ୍ଡଳୀ ଆଉ ଜ୍ୟୋତିଷ ତିଆରି କରିପାରିବେ? ନା, ଏଥିରେ ଭଗବାନଙ୍କର କିଛି କାରିଗରୀ ଅଛି। ଦୁଇଟି ମଣିଷଙ୍କୁ ସିଏ ଜଣେ ଜଣଙ୍କ ପାଇଁ ବହୁତ ଫୁରସତରେ ତିଆରି କରିଛନ୍ତି। ପୁରା rab ne bana di jodi.
ଜୀବନର ସ୍ରୋତ ସବୁବେଳେ ସମାନ ରୁହେନି। ‘ଧୁମ୍ ତାନା’ କେବଳ ସିନେମାରେ ନୁହେଁ, ବାସ୍ତବ ଜୀବନରେ ବି ହୁଏ। ମୋର ମନେ ଅଛି ସେଇ କିଛି ବର୍ଷ ତଳର କଥା, ଯେତେବେଳେ ଆର୍ଥିକ ଅଭାବର ଏକ ବିଷାକ୍ତ କାଳିମା ଆମ ପରିବାରକୁ ଘେରି ଯାଇଥିଲା। ବାପାଙ୍କ ବ୍ୟବସାୟର କ୍ଷତି ଆମକୁ ଶୂନ୍ୟ କରିଦେଇଥିଲା। ମନପସନ୍ଦର ପ୍ଲଟ୍ ବିକ୍ରି କରିବା, ଗାଡ଼ି ବିକ୍ରି କରିବାଠାରୁ ଆରମ୍ଭ କରି ସୁନା ବ୍ୟାଙ୍କରେ ବନ୍ଧା ରଖିବା ପର୍ଯ୍ୟନ୍ତ... ସବୁ ଆମେ ଆଖି ଆଗରେ ଦେଖିଛୁ। ସେଇ ଚାରି ବଖରା ଘରୁ ଆମେ ଯେତେବେଳେ ଦୁଇ ବଖରାକୁ ଚାଲି ଆସିଲୁ, ସେତେବେଳେ ଦୁନିଆର ଅସଲ ରୂପ ବି ଦେଖାଗଲା। ପଚାଶ ଜଣ ଲୋକ ଯିଏ ଆମ ଘରେ ଖୁନ୍ଦି ହେଉଥିଲେ, ସେମାନଙ୍କ ସମ୍ମାନ କେମିତି ଧୀରେ ଧୀରେ ସରିଆସୁଥିଲା। ବାବା-ମାମାଙ୍କ ମୁହଁରେ ହସ ନଥାଏ, ଖାଇବା ବେଳେ ସମୟ ଦେଖାହୁଏନି। ଭୋକ ପାଇଁ ନୁହେଁ, ବରଂ ବଞ୍ଚିବା ପାଇଁ ଖାଇବାଟା ଯେମିତି ଗୋଟେ ‘ଫର୍ମାଲିଟି’ ହୋଇଯାଇଥିଲା। ଛ ତିଅଣ ନ ଭଜା ରୁ କେବେ ଗୋଟେ ଥାଳି ରେ ଖାଇବା ଖିଆ ହେଲା ଜଣ ପଡ଼ିଲାଣି | ବର୍ଷ ରେ ପାଞ୍ଚଟା ନୂଆ ଜାଗା ବୁଲା ଜାଗା ରେ, ଘରେ ବସି ଚିନ୍ତା ରେ ସମୟ ଗଲା | ସେ ସମୟ ଏବେ ମାନେ ପଡିଲେ ବହୁତ ହସ ଲାଗେ , ଭଗବାନ ବହୁତ ବୁଝି ବିଚାରି ଦୁଃଖ କି ସୁଖ ଦିଅନ୍ତି | emotional availaibilty , emotional maturity ଭଳି ବଡ ବଡ ଶବ୍ଦ ମତେ ବହୁତ ସରଳ ଭାବେ ବୁଝେଇଥିବା ମଣିଷ ହେଲେ ମୋ ବାବା ମାମା |
ସେତେବେଳେ ମୁଁ ଦେଖିଛି ବାପାଙ୍କର ସେଇ ପଥର ଭଳି ନିରବତା, ଯାହା ଭିତରେ ଗୋଟେ ଆଗ୍ନେୟଗିରି ଜଳୁଥିଲା। ଆଉ ମାମା? ମାମା ସେତେବେଳେ ସାଜିଥିଲେ ଏକ ଅତୁଟ ଶକ୍ତି। ବାପାଙ୍କ ହାତ ଧରି ସିଏ କହିଥିଲେ "କିଛି ନାହିଁ, ପୁଣି ସବୁ ଗଢ଼ିବା।" ସେତେବେଳେ ବି କୌଣସି ପୂଜା ବ୍ରତ, ମାନସିକ ରୁ ମାମା ବାଦ୍ ପଡ଼ିନାହାନ୍ତି। ସକାଳ ସନ୍ଧ୍ୟା , ଦିନ ରାତି ପରି ସମୟ ଚାଲିଯାଏ କିନ୍ତୁ କଥା ଭୁଲି ହୁଏନି | ମୁଁ ରାଗିକି ଗୁଡ଼େ କଥା କହିଦିଏ, ବାବା ଶୁଣନ୍ତି କେବେ କିଛି କୁହନ୍ତିନି , ହସି ଦିଅନ୍ତି | ସେତେବେଳେ ବୁଝେ, ମୋ ମାମା କେବଳ ନିଜ ପାଇଁ ସାଥି ନୁହେଁ , ଆମ ପାଇଁ best ବାବା ବି ବାଛିଛନ୍ତି | ସେଇ କଠିନ ସମୟରୁ ବାହାରି ଆଜି ମୁଁ ଯେଉଁଠି ଅଛି, ବହୁତ ସନ୍ତୁଷ୍ଟ ଅଛି। ମୁଁ ନିଜ ଉପରେ ଗର୍ବ କରେ, ମୋ ସଂସ୍କାର, କର୍ମ, ଦାୟିତ୍ୱ , କର୍ତବ୍ୟ ରୁ ମୁଁ କେବେ ପଛଘୁଞ୍ଚା ଦେଇନି | ଏହି ସନ୍ତୁଷ୍ଟି ଆଉ ଜୀବନ ବଞ୍ଚିବାର ଅନୁଭୂତି କୌଣସି ସ୍କୁଲ୍ କଲେଜ୍ରେ ମିଳେନି। ଏଇଟା ବାସ୍ ସମୟ ଆଉ ବାବା-ମାମାଙ୍କ ଶିକ୍ଷାରୁ ଆସିଛି। Life happens!
ଯେତେବେଳେ ନିଜ ଜନ୍ମ କଲା ବାପା ମା ସାଙ୍ଗରେ ରୁହନ୍ତିନି , ଛୁଆ ପିଲା ଛାଡିକି ଚାଲିଯାନ୍ତି , ବାସ ସେଇ ମଣିଷ ତା ହାତ ଧରି ଛିଡା ହୁଏ ଯାହାକୁ ବେଦି ରେ ହାଥ ଧରି ଆସିଥିବ | ଆଜି ଏହି ଶୁଭ ମୁହୂର୍ତ୍ତରେ ମୁଁ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଜଣାଉଛି। ଦୁନିଆରେ ସବୁକିଛି ମିଳିଯାଇପାରେ, କିନ୍ତୁ ଏମିତି ବାପା ମା’ ମିଳିବା ବଡ଼ ଭାଗ୍ୟର କଥା। ମୋ ପାଇଁ ଭଗବାନଙ୍କର ସବୁଠୁ ବଡ଼ ଆଶୀର୍ବାଦ ହେଉଛନ୍ତି ମୋ ବାବା ଆଉ ମାମା। ତୁମେ ଦୁହେଁ ମୋ ପାଇଁ ଶକ୍ତିର ଉତ୍ସ। ତୁମେ ମୋତେ ଜୀବନର ସବୁଠୁ ମୂଲ୍ୟବାନ ସମ୍ପତ୍ତି ଦେଇଛ| ସେଇଟା ହେଉଛି ନିଜ ଇଚ୍ଛାରେ ବଞ୍ଚିବାର ସ୍ୱାଧୀନତା। ତୁମେ ମତେ କେବେ ଶାସନ କରିନାହଁ ବରଂ ନିଜ ଡେଣାରେ ଉଡ଼ିବାକୁ ସାହସ ଦେଇଛ। ମୁଁ ଉଡି ଉଡି ବୋଧ ହୁଏ ବେଶୀ ବାଟ ଉଡ଼ିପାରିନି , ହେଲେ ତୁମେ ମତେ ମୁକ୍ତ ଆକାଶ ଦେଇଛ | ଦିନେ ବୁଣିଥିବା ସବୁ ସ୍ବପ୍ନ ମୁଁ ପୁରା କରିବି, ବାସ ସମୟ ସମୟ ର କଥା |
ଆଉ ଏହି ପରିବାରର ଯାତ୍ରା ଭିତରେ ଭଗବାନ ମତେ ଯେଉଁ ଶ୍ରେଷ୍ଠ ଉପହାର ଦେଇଛନ୍ତି, ସେ ହେଉଛି ମୋର ସାନ ଭଉଣୀ। ସିଏ କେବଳ ମୋ ଭଉଣୀ ନୁହେଁ, ସିଏ ମୋ ପାଇଁ ଈଶ୍ୱରଙ୍କର ସବୁଠୁ ବଡ଼ ଭେଟି। ଆମ ଘରର ଏହି ହସ-ଖୁସି, ଏହି ସିଙ୍ଗଡ଼ା-ପକୁଡ଼ି ଖାଇବା ବେଳର ମଜା, ଆଉ ବାପା-ମାମାଙ୍କ କଥା କଟାକଟିକୁ ମନଭରି ଉପଭୋଗ କରିବାରେ ସିଏ ହିଁ ମୋର ସବୁଠୁ ବଡ଼ ସାଥୀ। ଆମେ ଦୁଇଜଣ ମିଶିଲେ ହିଁ ଏହି ଘର ସମ୍ପୂର୍ଣ୍ଣ ହୁଏ। ଆଜି ପଚିଶ ବର୍ଷ ପରେ ବି ଯେତେବେଳେ ମୁଁ ଦେଖେ, ରାସ୍ତା ପାର ହେଲା ବେଳେ ବାପା ଅଜାଣତରେ ମାମାଙ୍କ ହାତକୁ ଜାବୁଡ଼ି ଧରି ପକାନ୍ତି, ସେତେବେଳେ ଲାଗେ ପ୍ରେମ ବାର୍ଦ୍ଧକ୍ୟରେ ଆହୁରି ସୁନ୍ଦର ହୋଇଯାଏ। ମାମାଙ୍କର ଅଭିଯୋଗ ଆଜି ବି ଅଛି, ଆଉ ବାପାଙ୍କର ସେଇ ନିରବରେ ଶୁଣିବାର ଧୈର୍ଯ୍ୟ ବି ସେମିତି ଅଛି। ବାପା ଜାଣନ୍ତି ସିଏ କେବେ ବି ମାମାଙ୍କୁ କିଛି ଭୁଲ୍ କହିପାରିବେନି, କାରଣ ତାଙ୍କ ପାଇଁ ମାମାଙ୍କ ମୁହଁର ହସ ହିଁ ସବୁଠୁ ବଡ଼ ବିଜୟ। ପଚିଶ ବର୍ଷର ଏହି ଯାତ୍ରା କେବଳ ଏକ ମୂଳଦୁଆ ଥିଲା, ପୁରା ଅଟ୍ଟାଳିକା ତ ଏବେ ବି ଗଢ଼ା ହେଉଛି। ତୁମେ ଦୁହେଁ ହେଉଛ ଆମ ଘରର ଦୁଇଟି ଅଦୃଶ୍ୟ ଦେବତା। ମୁଁ ସୌଭାଗ୍ୟଶାଳୀ ଯେ ମୁଁ ତୁମମାନଙ୍କ ସହ ଅଛି।
Happy 25th anniversary, ବାବା and ମାମା ! ତୁମେ ଦୁହେଁ ଏମିତି ହିଁ ପରସ୍ପରର ଛାୟା ହୋଇ ରୁହ। ମାମା ସବୁବେଳେ ସ୍ମୃତି ସାଉଣ୍ଟୁଥାନ୍ତୁ ଆଉ ବାପା ସେଇ ସବୁ ମୁହୂର୍ତ୍ତକୁ ଶାନ୍ତିରେ ଉପଭୋଗ କରୁଥାନ୍ତୁ। ମୁଁ ୠଣୀ ରହିବାକୁ ଚାହେଁ, ସବୁ ବେଳେ ସବୁ ପରିସ୍ଥିତି ରେ ମୁଁ ତୁମ ପରିଚୟ ରେ ପରିଚିତ ହେବାକୁ ଚାହେଁ | I love you a lot! I am blessed! I am thankful! ❤️

Comments
Post a Comment