Happy 25th anniversary, ବାବା and ମାମା !
ଆକାଶରୁ ଶ୍ରାବଣର ସେଇ ବାରିଧାରା ଯେତେବେଳେ ଢେଙ୍କାନାଳ ପାହାଡ଼ିଆ ରାସ୍ତାକୁ ଭିଜେଇ ଦିଏ, ଠିକ୍ ସେତିକିବେଳେ ମନର କୋଣରେ ଜମି ରହିଥିବା ସ୍ମୃତିର ପାଉଁଶ ତଳୁ କିଛି ନିଆଁର ଝୁଲ ଦାଉ ଦାଉ ହୋଇ ଜଳିଉଠେ। ଠିକ ସେମିତି, ହେଇ ହେଇ ଦି ଯୁଗ ବିତିଗଲା | ପଚିଶ ବର୍ଷ! ଶୁଣିବାକୁ ଗଲେ ଏଇଟା ଖାଲି ଗୋଟେ ସଂଖ୍ୟା ଭଳି ଲାଗେ, ହେଲେ ଏଇ ପଚିଶଟା ବର୍ଷର ଯାତ୍ରା ଭିତରେ କେତେ ଯେ ଅକୁହା କାହାଣୀ ଲୁଚି ରହିଛି, ତାହା କେବଳ ଏହି ଘରର ଚାରିକାନ୍ଥ ହିଁ ଜାଣନ୍ତି। ଆଜି ଯେତେବେଳେ ବାବା ଆଉ ମାମାଙ୍କର ଏହି ବିଭାହ ବାର୍ଷିକୀ, ଧନ୍ୟବାଦ ସେ ଜ୍ୟୋତିଷ କୁ ଯିଏ ପ୍ରସ୍ତାବ ନେଇ ଆସିଥିଲା ଆଉ ଧନ୍ୟ ପରିବାର ଲୋକ ସବୁ ଯିଏ ରାଜଯୋଟକ ଖୁସି ରେ ବାହାଘର କରିଦେଲେ | ମୁଁ ଭାବେ ଏଇ ‘ରାଜଯୋଟକ’ ବାହାଘର ସତରେ କ’ଣ? ୟାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମୋ ବାବା ଆଉ ମାମା। ସତରେ, ଯେତିକି ଜଲ୍ଦି ଆମ ଘରେ ଝଗଡ଼ା ଆରମ୍ଭ ହୁଏ, ସେତିକି ଜଲ୍ଦି ସରି ବି ଯାଏ। ଆମ ଘରେ ସବୁଠୁ ଲମ୍ବା ଝଗଡ଼ା ବୋଧେ ଘଣ୍ଟେ ପାଇଁ ଚାଲେ। ହାଲ୍ଲା ହୁଏ, ପୁଣି ସମସ୍ତେ ଥକିଯାଇ ନିଜକୁ ନିଜେ ସ୍ୱାଭାବିକ କରିଦିଅନ୍ତି। ଏଇଟା ହିଁ ତ ରାଜଯୋଟକର ସୁନ୍ଦରତା ବୋଧେ| ପିଲାଦିନର କଥା ତ ମୋର ଏତେ ମନେ ନାହିଁ, ହେଲେ ଏବେ ବଡ଼ ହେଲା ପରେ ଜାଣିଲି, ମୁଁ ସମସ୍ତଙ୍କ ଭଳି ‘ନନା’ କି ‘ବୋଉ’ ଡାକିପାରୁନଥିଲି। ମୋ ପାଟିରୁ ପ୍ରଥମେ ବାହାରିଥିଲା ସେଇ ‘ବାବା’ ଆଉ ‘ମାମା’। ଆଜି ବୁଝୁଛି, ଏକ ...